ଅପରାଧ

ହତ୍ୟା ତଦନ୍ତରେ ମହାଦୁର୍ନୀତିର ଆବିର୍ଭାବ

ଭୁବନେଶ୍ୱର: ସାରୁ ଖୋଳୁ ଖୋଳୁ ମହାଦେବ ବାହାରିବା ପରି ଘଟଣା ଘଟିଛି ନୟାଗଡ ଜିଲ୍ଲା ରଣପୁର ଅଞ୍ଚଳରେ । ଏକ ହତ୍ୟା ଘଟଣାକୁ ନେଇ ରଣପୁର ପୁଲିସ କରିଥିଲା ତଦନ୍ତ । କିନ୍ତୁ ଏହି ତଦନ୍ତ ସମୟରେ ରଣପୁରର ଏକ ମହାଦୁର୍ନୀତିର ହୋଇଛି ଆବିର୍ଭାବ । ଏହି ଘଟଣାରେ ପୁଲିସ ଜଣକୁ ଗିରଫ କରିବା ସହ ଏଥିରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ଧରିବାକୁ ଚଳାଇଛି ତଦନ୍ତ ।


ସୂଚନା ଅନୁଯାୟୀ, ରଣପୁର ଅଞ୍ଚଳରେ ଦୀର୍ଘ ଦିନରୁ କାହ୍ନୁ ଚରଣ ପ୍ରଧାନ ନାମକ ଜଣେ ବ୍ୟକ୍ତି ତାଙ୍କ ଦୁଇ ସହଯୋଗୀ ରଘୁନାଥ ପ୍ରଧାନ ଓ ସରୋଜ ସେଠୀକୁ ନେଇ ରାଜ କରି ଆସୁଥିଲା । କାହ୍ନୁ ନିଜକୁ ଜଣେ ଆଇଏଏସ ଅଫିସର ପରିଚୟ ଦେଇ ସାଥିମାନଙ୍କ ସହ ଚଳାଇଥିଲା ଅପରାଧ ଓ ଦୁର୍ନୀତିି । ସରକାରୀ କାମରେ ସହଯୋଗ କରିବା ନାମରେ ରଣପୁରର ସାଧାରଣ ନୀରିହ ଲୋକଙ୍କୁ ବିଭିନ୍ନ ଭାବେ ଭୁଆଁ ବୁଲାଇ କୋଟି କୋଟି ଟଙ୍କା ଲୁଟିଥିଲା । ତାର କବଜାରେ ସମ୍ପୂର୍ଣ୍ଣ ରୂପେ ଥିଲା ରଣପୁର । ତାର କଳା କାରନାମାର ଟେର କେହି ମଧ୍ୟ ପାଉନଥିଲେ । ତେବେ ତହସିଲର ଏକ ଜାଲି କଗଜକୁ ନେଇ ରଣପୁର ଅଧୀନ ରାଇପଡା ଗ୍ରାମରେ କରାଇଥିଲା ସଂଘର୍ଷ । ଏହି ସଂଘର୍ଷରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିଲା । ଏହି ହତ୍ୟାକାଣ୍ଡରେ କାହ୍ନୁ ଓ ତାର ଦୁଇ ସହଯୋଗୀଙ୍କ ହାତ ଥିଲା । ଏବେ ପୁଲିସ ସେହି ନକଲି କାଗଜକୁ ନେଇ ଚଳାଇଛି ଛାନଭିନ ।


ଅନ୍ୟ ପଟେ ଚାନ୍ଦପୁରରେ ହୋଇଥିବା ଏକ ହତ୍ୟାକାଣ୍ଡ କେଶକୁ ଚାନ୍ଦପୁର ଆଇଆଇସି ରିଓପେନ କରିଥିଲେ । ଏହି କେଶ ରିଓପେନ ହେବା ପରେ ଆଇଆଇସି ରଶ୍ମିରଞ୍ଜନ ଦାସଙ୍କୁ ଫସାଇବା ପାଇଁ ତାଙ୍କ ନାମରେ କୋର୍ଟରେ ଏକ ମାମଲା କରାଗଲା । ଆଇଆଇସିଙ୍କୁ ତାଙ୍କ ନାମରେ ହୋଇଥିବା କେଶରେ ଛନ୍ଦିବା ଥିଲା ଅପରାଧିଙ୍କ ଉଦ୍ଦେଶ୍ୟ । କିନ୍ତୁ ଆଇଆଇସି ସେଥିରେ ହତୋତ୍ସାହିତ ନ ହୋଇ ତଦନ୍ତକୁ ଯୋରଦାର କରିଥିଲେ । ଏଥିସହ ତାଙ୍କ ନାମରେ ହୋଇଥିବା ମିଛ ମକଦମାକୁ ନେଇ ଆଜି ଜଣେ ଅଭିଯୁକ୍ତକୁ ଗିରଫ କରିଛନ୍ତି । ଗିରଫ ପରେ ବାହାରିଛି ଏକ ବଡ ଦୁର୍ନୀତିର ସତ୍ୟ । ଗିରଫ ଅଭିଯୁକ୍ତ ହେଉଛି କାହ୍ନୁ ପ୍ରଧାନର ସହଯୋଗୀ ରଘୁ ପ୍ରଧାନ ।


ରଘୁକୁ ପଚରା ଉଚରା କରିବା ବେଳେ ବହୁ ତଥ୍ୟ ଆଇଆଇସିଙ୍କ ହସ୍ତଗତ ହୋଇଛି । ଏକ ରେଞ୍ଜ ରୋଭର ଗାଡିକୁ ନେଇ ଏବେ ରଣପୁର ଅଞ୍ଚଳରେ ଚର୍ଚ୍ଚା । ଏକ କୋଟି ଟଙ୍କାର ରେଞ୍ଜ ରୋଭର କାର କାହ୍ନୁ କିଣିଥିଲା । ସବୁଠାରୁ ବଡ କଥା “ଡିଏଲ ୦୧ସି ପି ୯୩୬୪’ କାରଟି ଭୁବନେଶ୍ୱରର ଜଣେ ବ୍ୟକ୍ତିଙ୍କର ହୋଇଥିବା ବେଳେ କାହ୍ନୁ ପ୍ରଧାନ ଏହାକୁ କିଣିଥିଲେ । ଗାଡି ଭୁବନେଶ୍ୱର ହୋଇଥିଲେ ମଧ୍ୟ ଏହାକୁ ସୁନ୍ଦରଗଡ ଆରଟିଓରେ ପୁନଃ ପଞ୍ଜିକରଣ କରାଯାଇଥିଲା । ଯାହାର ନୂଆ ନମ୍ବର ଓଡି ୧୬ ଜି ୯୩୩୯ । ଏହି କାରର ପଞ୍ଜିକରଣ ପାଇଁ ୨ରୁ ୨.୫ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ହୋଇଥିବା ବେଳେ କିନ୍ତୁ ସେତେବେଳର ଆରଟିଓ ରାମବିଳାଶ ସିରିକା ଏହାକୁ ମାତ୍ର ୧୫ରୁ ୨୦ ହଜାର ଟଙ୍କାରେ ପରିବର୍ତ୍ତନ କରିଥିଲେ । ତେବେ କେଉଁ ସ୍ୱାର୍ଥରେ ଆରଟିଓ ଅଢେଇ ଲକ୍ଷ ଯାଗାରେ ୨୦ ହଜାର ଟଙ୍କାରେ କାମ କରିଥିଲେ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସେହିପରି ଉକ୍ତ କାରଟିକୁ ରଣପୁରର କିଛି ସରକାରୀ ଅଧିକାରୀ ମଧ୍ୟ ବ୍ୟବହାର କରୁଥିଲେ, ଏପରି କି ରଣପୁରର ପ୍ରଭାବଶାଳୀ ନେତା ମଧ୍ୟ ଏହାକୁ ବ୍ୟବହାର କରୁଥିଲେ । ଏବେ ପୁଲିସ ଖୋଜୁଛି ଗାଡିର ଅସଲି ମାଲିକ କିଏ, କାହ୍ନୁ ପ୍ରଧାନ ନା କୌଣସି ସରକାରୀ ବାବୁ? ଏହି ଗାଡିର ନମ୍ବର ପରିବର୍ତ୍ତନ ପରେ ମଧ୍ୟ କାହିଁ ପୁରୁଣା ନମ୍ବର ବ୍ୟବହାର ହେଉଥିଲା? କାହ୍ନୁ ପ୍ରଧାନର ବିଭିନ୍ନ କଳା କାରନାମାକୁ ନେଇ ଏବେ ପୁଲିସ ଚଳାଇଛି ତଦନ୍ତ । ତେବେ ପୁଲିସ ଏହି କ୍ଷେତ୍ରରେ ସଫଳତା ହାସଲ କରିବ ନାଁ ରାଜନେତାଙ୍କ ଚାପରେ ଚୁପ ବସିବ ଏହା ସମୟ କହିବ ।

Related posts

 ୮ ପୁଲିସଙ୍କ ହତ୍ୟାକାରୀ ବିକାଶ ଦୁବେ ଗିରଫ 

mahabharatanews

ସେବାୟତ ବେଶରେ ଭଣ୍ଡ: ସିଂହଦ୍ୱାର ଥାନାରେ ଅଟକ

mahabharatanews

ସଂଘବଦ୍ଧ ଆକ୍ରମଣରେ ଯୁବକ ଗୁରୁତର

mahabharatanews

Leave a Comment