ନୂଆଦିଲ୍ଲୀ: ଭୁବନେଶ୍ୱର ଉତ୍ତର ବିଧାନସଭା ମଣ୍ଡଳୀର ବିଧାୟକ ସୁଶାନ୍ତ ରାଉତ ଆଜି କେନ୍ଦ୍ର ରେଳ ମନ୍ତ୍ରୀ ପିୟୁଷ ଗୋୟଲଙ୍କୁ ଭେଟିଛନ୍ତି । ଗୋୟଲଙ୍କୁ ଭେଟି ସୁଶାନ୍ତ ପଟିଆ ଷ୍ଟେସନ ନିକଟବର୍ତ୍ତୀ କଳାରାହାଙ୍ଗ ଲେବଲ କ୍ରସିଂଠାରେ ଏକ ରେଳ ଓଭର ବ୍ରିଜ ନିର୍ମାଣ କରିବାକୁ ଅନୁରୋଧ କରିଛନ୍ତି । ଏହି ଲେବଲ କ୍ରସିଂ ଦେଇ ଦୈନିକ ବହୁ ଲୋକ ଯିବା ଆସିବା କରିଥାନ୍ତି । ଫଳରେ ଲେବଲ କ୍ରସିଂଟି ଗହଳିପୂର୍ଣ୍ଣ ଥାଏ । ତେଣୁ ଏକ ରେଳ ଓଭର ବ୍ରିଜ ତିଆରି କରିବାକୁ ସ୍ଥାନୀୟ ଅଞ୍ଚଳବାସୀ ଦୀର୍ଘ ଦିନରୁ ଦାବି କରି ଆସୁଛନ୍ତି । ଏନେଇ ଆଜି ବିଧାୟକ ସୁଶାନ୍ତ ରେଳମନ୍ତ୍ରୀଙ୍କୁ ଭେଟି ଏକ ରେଳ ଓଭର ବ୍ରିଜ ନିର୍ମାଣ ପାଇଁ ପତ୍ର ମାଧ୍ୟମରେ ଅନୁରୋଧ କରିଛନ୍ତି । ସାକ୍ଷାତକାର ପରେ ବିଧାୟକ କହିଛନ୍ତି ମାନ୍ୟବର ରେଳ ମନ୍ତ୍ରୀ ଏଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଛନ୍ତି ।