ରାଜନୀତି

ଦଳିତ, ନିଷ୍ପେସିତ, ବଞ୍ଚିତଙ୍କ ସ୍ୱର କୁହାଯାଉଥିବା କେନ୍ଦ୍ର ମନ୍ତ୍ରୀ ରାମ ବିଲାସ ପାଶ୍ୱାନଙ୍କ ଦେହାନ୍ତ

ନୂଆଦିଲ୍ଲୀ: ଦଳିତ, ନିଷ୍ପେସିତ, ବଞ୍ଚିତଙ୍କ ସ୍ୱର କୁହାଯାଉଥିବା କେନ୍ଦ୍ର ମନ୍ତ୍ରୀ ରାମ ବିଲାସ ପାଶ୍ୱାନଙ୍କ ଦେହାନ୍ତ ହୋଇଛି। ଗତକାଲି ୭୪ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟ।।ଗ କରିଛନ୍ତି । ଦୀର୍ଘ ଦିନରୁ ସେ ଅସୁସ୍ଥତା କାରଣରୁ ଚିକିତ୍ସିତ ହୋଇ ଆସୁଥିଲେ । ହୃଦଜନିତ ସମସ୍ୟା ପାଇଁ ଗତ ଶନିବାର ତାଙ୍କର ହାର୍ଟ ସର୍ଜରୀ ହୋଇଥିଲା। ତାଙ୍କ ପୁଅ ତଥା ଲୋକ ଜନଶକ୍ତି ପାର୍ଟିର ମୁଖ୍ୟ ଚିରାଗ ପାଶ୍ୱାନ ଟ୍ୱିଟ କରି ରାମ ବିଳାସଙ୍କ ମୃତ୍ୟୁର ସୂଚନା ଦେଇଥିଲେ । ପିତାଙ୍କ ଉଦ୍ଦେଶ୍ୟରେ ଚିରାଗ ନିଜ ପ୍ରେମ, ସମ୍ମାନ ଓ ଭାବାବେଗ ପ୍ରକାଶ ପୂର୍ବକ ଉଲ୍ଲେଖ କରିଥିଲେ । ପାପା ଏବେ ଆପଣ ଆଉ ଏ ଦୁନିଆରେ ନାହାନ୍ତି। କିନ୍ତୁ ମୁଁ ଜାଣିଛି ଆପଣ ଯୋଉଠି ଥିବେ ମୋ ସହ ରହିଥିବେ। ଆଇ ମିସ୍‌ ୟୁ ପାପା।
୧୯୪୬ ମସିହା ଜୁଲାଇ ୫ରେ ଏକ ଗରିବ ପରିବାରରେ ଜନ୍ମଗ୍ରହଣ କରିଥିବା ରାମ ବିଲାସ ପାଶ୍ୱାନ ଦୀର୍ଘ ୫୦ ବର୍ଷ ଧରି ଭାରତୀୟ ରାଜନୀତିରେ ସକ୍ରୀୟ ରହିବା ସହ ନିଜର ଏକ ପରିଚୟ ସୃଷ୍ଟି କରିଥିଲେ । ବର୍ତ୍ତମାନ ସେ ମୋଦି ସରକାରରେ ଖାଦ୍ୟ କଲ୍ୟାଣ ମନ୍ତ୍ରୀ ଭାବେ କାର୍ୟ୍ୟ କରୁଥିଲେ। ରାମ ବିଲାସ ୮ଥର ଲୋକସଭାକୁ ନିର୍ବାଚିତ ହୋଇଥିଲେ । ୧୯୬୯ରେ ସେ ଶ୍ୟାମୟୁକ୍ତ ସୋସିଆଲିଷ୍ଟ ପାର୍ଟିର ଟିକେଟରୁ ବିହାର ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୧୯୭୪ରେ ଲୋକ ଦଳ ଗଠନ ହେବା ପରେ ସେ ଏଥିରେ ଯୋଗଦେଇଥିଲେ। ୧୯୭୭ରେ ପ୍ରଥମଥର ଲୋକସଭାକୁ ନିର୍ବାଚିତ ହୋଇଥିଲେ। ସେ ଜନତା ପାର୍ଟି ଟିକେଟରୁ ହାଜିପୁର ଲୋକସଭା ଆସନରୁ ସଂସଦକୁ ଯାଇଥିଲେ। ୨୦୦୦ ମସିହାରେ ସେ ଲୋକ ଜନଶକ୍ତି ଦଳ ଗଠନ କରିଥିଲେ। ୨୦୦୪ରେ ସେ କଂଗ୍ରେସ ନେତୃତ୍ୱାଧୀନ ୟୁପିଏରେ ସାମିଲ ହୋଇଥିଲେ। ୟୁପିଏ କ୍ଷମତାରେ ଥିବା ବେଳେ ସେ କେମିକାଲ ଆଣ୍ଡ ଫଟିଆଲାଇଜର ଓ ଷ୍ଟିଲ ମନ୍ତ୍ରଣାଳୟ ଭାବେ କାର୍ୟ୍ୟ କରିଥିଲେ। ୨୦୦୪ରେ ସେ ଜିତିଥିଲେ ହେଁ ୨୦୦୯ରେ ପରାସ୍ତ ହୋଇଥିଲେ। ତେବେ ସେ ୨୦୧୦ରୁ ୨୦୧୪ ଯାଏ ରାଜ୍ୟସଭାକୁ ଯାଇଥିଲେ। ୨୦୧୪ ଲୋକସଭାରେ ସେ ବିଜୟୀ ହୋଇ ପୁଣି ସଂସଦକୁ ଯାଇଥିଲେ।
ପ୍ରାରମ୍ଭରୁ ସେ ଦଳିତଙ୍କ ଅଧିକାର ପାଇଁ ସ୍ୱର ଉତ୍ତୋଳନ କରି ଆସିଥିଲେ । ଦଳିତଙ୍କ ଅଧିକାର ପାଇଁ ସର୍ବଦା ଲଢୁଥିଲେ । କେବଳ ଦଳିତ ନୁହଁନ୍ତି, ସବୁ ବର୍ଗ ପାଇଁ ତାଙ୍କ ଅବଦାନ ଅତୁଳନୀୟ । ସଂସଦରେ ଯେଉଁ ଆଇନ ଦ୍ୱାରା ଲୋକଙ୍କ ଉନ୍ନତି ସାଧନ ହୋଇପାରିବ, ସେ ସେଥିପାଇଁ ସମର୍ଥନ ଦେଉଥିଲେ । ତାଙ୍କ ବିଚାର, ପରାମର୍ଶକୁ ସବୁ ଦଳ ଗ୍ରହଣ କରିଥାନ୍ତି । ଦଳ ମତ ନିର୍ବିଶେଷରେ ସେ ସମସ୍ତଙ୍କ ପ୍ରିୟ ଥିଲେ । ତାଙ୍କ ନିଧନରେ ସବୁ ବର୍ଗରେ ଶୋକର ଲହରି ଦେଖିବାକୁ ମିଳୁଛି । ବିହାରର ଜନତା ତାଙ୍କ ବିୟୋଗରେ ଆଖିର ଲୁହ ଉପରେ ପାଉନାହାନ୍ତି ନିୟନ୍ତ୍ରଣ । ବହୁ ସାଧାରଣ ଜନତାଙ୍କ ପରିବାରେ ଖେଳିଯାଇଛି ଶୋକ । ଲୋକଙ୍କ ଘରେ ଆତ୍ମୀୟର ନିଧନର ସ୍ଥିତି ଦେଖିବାକୁ ମିଳୁଛି । ଏଥିରୁ ସେ ଜଣେ ସାଧାରଣ ଜନତାର ନେତା ଥିଲେ ତାହା ପ୍ରମାଣିତ ହେଉଛି । ତାଙ୍କ ବିୟୋଗ ଭାରତୀୟ ରାଜନୀତି ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ସବୁ ଦଳର ନେତା ପ୍ରକାଶ କରିଛନ୍ତି ।

 

Related posts

ସମୟର ଆହ୍ୱାନ: ମୁଁ ଛାଡି ଆମେକୁ ଆପଣାଉ ରାଜ୍ୟ ବିଜେପି

mahabharatanews

ସ୍ୱତନ୍ତ୍ର ଅଦାଲତରେ ତ୍ୱରିତ ବିଚାର ଓ ବଳାତ୍କାରୀଙ୍କୁ ଫାଶୀ ଦିଆଯାଉ : ରାଜ୍ୟ କଂଗ୍ରେସ

mahabharatanews

ମହାରଥୀଙ୍କ ଜନଶୁଣାଣି ଶିବିର

mahabharatanews

Leave a Comment