ରାଜନୀତି

ପ୍ୟାରୀଙ୍କ ସ୍ଥାନ ନେଇଛନ୍ତି ପାଣ୍ଡିଆନ

ଭୁବନେଶ୍ୱର/ଶିଳାସ୍ମିତା ରାୟ: ଗତକାଲି ବିଜେଡିରୁ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ବହିଷ୍କୃତ ହେବା ପରେ ଦୀର୍ଘ ବର୍ଷ ଧରି ଶାସନ ଗାଦିରେ ଥିବା ବିଜେଡିର କେଳେଙ୍କାରୀ ପଦାରେ ପଡିଛି । କରୋନା କଟକଣା ମଧ୍ୟରେ ତାଙ୍କ ବିଧାନସଭା ମଣ୍ଡଳରେ ଚାଲିଥିବା କରୋନା ଅବ୍ୟବସ୍ଥାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବା ତାଙ୍କ ପାଇଁ କାଳ ହୋଇଥିବା ପ୍ରଦୀପ ଖୋଲାଖୋଲି କହିଛନ୍ତି । ଯଦି ପ୍ରଦୀପଙ୍କ କଥା ଠିକ ହୋଇଥାଏ ତେବେ ବିଜେଡିରେ ପୁନଃ ପ୍ୟାରୀ ଯୁଗର ନିଅଁ ପଡିଥିବା ସ୍ପଷ୍ଟ ହୋଇଛି ।    ବିଜେଡିର ଅୟାମାରମ୍ଭରୁ ପ୍ୟାରି ମହାପାତ୍ରଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଥିଲା । ସେତେବେଳେ ଦଳରେ ପ୍ୟାରି ମହାପାତ୍ର ହିଁ ମୁଖ୍ୟମନ୍ତ୍ରୀଙ୍କ ପରେ ସର୍ବେସର୍ବା ଥିଲେ । ସେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀଙ୍କ ସମ୍ମୁଖରେ ଯାହାକୁ ଯେଉଁ ରୂପେ ଚିତ୍ରିତ କରୁଥିଲେ ସୁପ୍ରିମୋ ସେହି ରୂପେ ତାଙ୍କୁ ଜାଣୁଥିଲେ । ପ୍ୟାରୀଙ୍କ ଚିତ୍ର ଅନୁଯାୟୀ ବ୍ୟକ୍ତିଙ୍କୁ ପୁରସ୍କାର ବା ତିରସ୍କାର ମିଳୁଥିଲା । ଯଦି କୌଣସିି କର୍ମକର୍ତ୍ତା ବା ନେତାଙ୍କୁ ପ୍ୟାରୀ ପ୍ରଶଂସା କରୁଥିଲେ ତେବେ ତାଙ୍କୁ ବଡ ପଦପଦବୀ ମିଳୁଥିଲା । ଆଉ ଯଦି କୌଣସି ନେତା ବା ମନ୍ତ୍ରୀଙ୍କ ଚିତ୍ରରେ କଳଙ୍କର କାଳିମା ପ୍ୟାରୀ ଲଗାଉଥିଲା ତେବେ ସଙ୍ଗେସଙ୍ଗେ ତାଙ୍କଠାରୁ ପଦ ଛଡାଇ ନିଆଯାଉଥିଲା ବା ଦଳ ବିରୋଧୀ କାର୍ଯ୍ୟ କହି ଦଳରୁ ବିତାଡିତ କରାଯାଉଥିଲା । ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପୂର୍ବରୁ ପ୍ୟାରୀଙ୍କ ଅନୁମତି ଲୋଡା ବାଧ୍ୟତାମୂଳକ ଥିଲା । ସେ ନ ଚାହିଁଲେ କେହି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ଅସମ୍ଭବ । ଯଦି କୌଣସି ବରିଷ୍ଠ ମନ୍ତ୍ରୀ ବା ନେତା ଏହି ନିୟମକୁ ନିଜ ବରିଷ୍ଠତା କାରଣରୁ ଅଣଦେଖା କରୁଥିଲେ ସେତେବେଳେ ସେ ଦଳ ବିରୋଧୀ ଘୋଷିତ ହୋଇ ଦଣ୍ଡ ପାଉଥିଲେ।

ଆଜି ବିଜେଡିରେ ସମାନ ପରିସ୍ଥିତି ସୃଷ୍ଟି ହୋଇଛି । ପ୍ରଦୀପଙ୍କ ଅନୁଯାୟୀ, ସେ ମୁଖ୍ୟମନ୍ତ୍ରୀଙ୍କ ସହ ସିଧାସଳଖ ଯୋଗାଯୋଗ କରିବା ତାଙ୍କ ପାଇଁ କାଳ ହୋଇଛି । ମୁଖ୍ୟମନ୍ତ୍ରୀଙ୍କୁ କରୋନା ସମ୍ପର୍କିତ ବିଭିନ୍ନ ବିଷୟକୁ ନେଇ ୨୦୦ରୁ ଊଦ୍ଧ୍ୱର୍ ଚିଠି ଲେଖିବା ତାଙ୍କୁ ଜନ ବିରୋଧୀ କରିଛି । ପ୍ୟାରୀଙ୍କ ଅମଳରେ ଚାଲିଥିବା ଦଳ ବିରୋଧୀ କାର୍ଯ୍ୟର ସଂଜ୍ଞା ବଦଳାଇ ବର୍ତ୍ତମାନ, ମୁଖ୍ୟତଃ ପ୍ରଦୀପଙ୍କଠାରୁ ଜନବିରୋଧୀରେ ରୂପାୟିତ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି କେ ପାଣ୍ଡିଆନଙ୍କ ଅଗୋଚରରେ, ତାଙ୍କ ବିନା ଅନୁମତିରେ ସିଧା ସଳଖ ମୁଖ୍ୟମନ୍ତ୍ରୀଙ୍କ ସହ ଯୋଗାଯୋଗ ସ୍ଥାପନ ପାଇଁ  ଆଜି ପ୍ରଦୀପଙ୍କ ବିରୋଧରେ ହୋଇଛି କାର୍ଯ୍ୟାନୁଷ୍ଠ।ନ । 

କରୋନା କାଳରେ ଜନତାଙ୍କ ଅଭାବ, ଅସୁବିଧା ଓ କରୋନା ଚିକିତ୍ସାରେ ଘୋର ଅବ୍ୟବସ୍ଥା ପ୍ରଦୀପଙ୍କ ପରି ଜଣେ ଜନପ୍ରତିନିଧିଙ୍କୁ ଆନ୍ଦୋଳିତ କରିଥିଲା । ଲୋକଙ୍କୁ କରୋନା ସେବା ଯୋଗାଇ ଦେବାକୁ ସମ୍ପୃକ୍ତ ଅଧିକାରୀଙ୍କ ସହ ଆଲୋଚନା କରି ବିଫଳ ହୋଇଥିଲେ । ବାରମ୍ବାର ଜିଲ୍ଲା ପ୍ରଶାସନକୁ ଯୋଗାଯୋଗ କରିବା ପରେ ମଧ୍ୟ ଲୋକଙ୍କୁ ଆମ୍ବୁଲାନ୍ସ ନ ମିଳିବା, ଚିକିତ୍ସା ସେବା ମିଳିବାରେ ଅବହେଳା ପ୍ରଦୀପଙ୍କୁ ବ୍ୟଥିତ କରିଥିଲା । ପ୍ରଶାସନର ଅବହେଳାକୁ ନେଇ ଆଉ ଜଣେ ପ୍ରଶାସକଙ୍କୁ ଜଣାଇବାରେ କିଛି ଫଳ ହେବ ନାହିଁ, ତେଣୁ ସିଧାସଳଖ ସେ ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କୁ ଡେଇଁ ଯାଇ ମୁଖ୍ୟମନ୍ତ୍ରୀଙ୍କ ସହ ଯୋଗାଯୋଗ ସ୍ଥାପନ କରିବା ଓ ସ୍ୱଚ୍ଛ ସରକାରର ମଉଡମଣୀଙ୍କୁ କରୋନା ସେବାରେ ଚାଲିଥିବା କେଳେଙ୍କାରୀ ସମ୍ପର୍କରେ ଅବଗତ କରାଇବା ଆଜି ତାଙ୍କୁ ଜନବିରୋଧୀ ଆଖ୍ୟା ଦେଇଛି । ପ୍ରଦୀପ ତାଙ୍କ ବହିଷ୍କାର ପରବର୍ତ୍ତୀ ସମୟରେ ସିଧାସଳଖ ପାଣ୍ଡିଆନ ଓ ଦଳର ସାଧାରଣ ସମ୍ପାଦକ ବବି ଦାସଙ୍କୁ ଟାର୍ଗେଟ କରିଛନ୍ତି ।

କରୋନା ପରେ ବିଭିନ୍ନ ବର୍ଗରେ କରୋନା ଚିକିତ୍ସା ବ୍ୟବସ୍ଥାରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇ ଆସୁଥିଲା । ବୁଦ୍ଧିଜୀବୀ, ସାମ୍ବାଦିକ ଏପରି କି ବିରୋଧୀ ଓ ବିଜେଡି ବିଧାୟକ ମଧ୍ୟ ଏନେଇ ପ୍ରଶ୍ନ କରିଥିଲେ । ଏବେ ସମାନ ଘଟଣାର ଉତ୍ଥାପନ କରିଛନ୍ତି ପ୍ରଦୀପ । କରୋନା ଚିକିତ୍ସା ବ୍ୟବସ୍ଥାର ସତ୍ୟତା ମୁଖ୍ୟମନ୍ତ୍ରୀଙ୍କ ସମ୍ମୁଖକୁ ଆଣିବାକୁ ଯାଇ ଦଳରୁ ବହିସ୍କାର କରାଯାଇଥିବା ପ୍ରଦୀପ କହିଛନ୍ତି । ପ୍ରଦୀପଙ୍କ କଥାରୁ ଗୋଟିଏ କଥା ଜଣାପଡୁଛି, ପ୍ୟାରୀ ଯୁଗରେ ଯାହା ପ୍ୟାରୀ କରୁଥିଲେ ବର୍ତ୍ତମାନ ସେସବୁ କାର୍ଯ୍ୟ କରୁଛନ୍ତି ପାଣ୍ଡିଆନ ଓ ବବି । ପାଣ୍ଡିଆନ ଓ ବବି ମୁଖ୍ୟମନ୍ତ୍ରୀଙ୍କୁ ନେତା ମନ୍ତ୍ରୀଙ୍କୁ ଭେଟିବାକୁ ଦେଉ ନାହାନ୍ତି । କାରଣ ବିଧାୟକ ବା ମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ସେମାନେ ରାଜ୍ୟରେ ଚାଲିଥିବା ବିଭିନ୍ନ ଅନିୟମିତା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଅବଗତ ହୋଇଯିବେ । ଏଥିସହ ପ୍ରଦୀପ ମଧ୍ୟ କହିଛନ୍ତି ରାଜ୍ୟରେ ପ୍ରଶାସନ ତଥା ବିଜେଡି ଦଳ ଜଣେ ବ୍ୟକ୍ତିଙ୍କ ଅଙ୍ଗୁଳି ନିର୍ଦ୍ଦେଶରେ କାର୍ଯ୍ୟ କରୁଛି । ଏପରି କି ରାଜ୍ୟରେ ମୁଖ୍ୟ ଶାସନ ସଚିବଙ୍କର କୌଣସି ମୂଲ୍ୟବୋଧ ନ ଥିବା ମଧ୍ୟ ପ୍ରଦୀପ କହିଛନ୍ତି, ଯାହା ପ୍ୟାରୀଙ୍କ ସମୟ କାଳରେ ଦେଖିବାକୁ ମିଳୁଥିଲା । ପ୍ୟାରୀଙ୍କ ସ୍ଥାନ ନେଇଛନ୍ତି ପାଣ୍ଡିଆନ ।

Related posts

ରାଜ୍ୟସଭାରେ ଉତ୍ତେଜନା ସୃଷ୍ଟି କରିଥିବା ୮ ସାଂସଦ ନିଲମ୍ବିତ

mahabharatanews

ରାମ ମନ୍ଦିର ଭୂମି ପୂଜା ଉତ୍ସବରେ ଯୋଗ ଦେବେନି ଉମା ଭାରତୀ

mahabharatanews

ଭାରତର ଅନୁରୋଧକୁ ରକ୍ଷା କଲା ରୁଷ୍

mahabharatanews

Leave a Comment