ଭୁବନେଶ୍ୱର: ଘରୋଇ ସ୍କୁଲ ଫି ଛାଡ ନିଷ୍ପତ୍ତିର ଶୁଣାଣି କରି କୋର୍ଟଙ୍କ ରାୟ ପରେ ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ପ୍ରତିକ୍ରିୟା ରଖିଛନ୍ତି କି, ହାଇକୋର୍ଟଙ୍କ ନିର୍ଦ୍ଦେଶ ସରକାରଙ୍କ ପାଖରେ ପହଞ୍ଚି ନାହିଁ । ଯାହା କିଛି ସୂଚନା ରହିଛି ତାହା ଗଣମାଧ୍ୟମ ଆଧାରିତ । ତେଣୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ମିଳିଲା ପରେ ବିଭାଗ ନିଷ୍ପତ୍ତି ନେବ। କୋର୍ଟ ଘରୋଇ ସ୍କୁଲ ଫି ଛାଡ ଉପରେ ରାୟରେ କହିଛନ୍ତି, ରାଜ୍ୟ ସରକାର ଚାହିଁଲେ ଘରୋଇ ସ୍କୁଲ୍ ଫି ହ୍ରାସ କରିବା ଲାଗି ନିର୍ଦ୍ଦେଶ ଜାରି କରିପାରିବେ । ଏହାଛଡ଼ା କୌଣସି ଘରୋଇ ସ୍କୁଲ ନିର୍ଦ୍ଦେଶ ଅବମାନନା କଲେ ସରକାର ତାହାର ଏନ୍ଓସି ମଧ୍ୟ ପ୍ରତ୍ୟାହାର କରିପାରିବେ। ସ୍କୁଲ ଫିକୁ ନେଇ ଘରୋଇ ସ୍କୁଲ ଲାଭଖୋର ମନବୃତ୍ତି ରଖିପାରିବେ ନାହିଁ ।
କୋର୍ଟ କହିଛନ୍ତି, ୧୯୯୬ ମସିହା ସେପ୍ଟେମ୍ବର ୨୩ରେ ସ୍କୁଲ୍ ଓ ଗଣଶିକ୍ଷା ବିଭାଗ ଦ୍ୱାରା ଜାରି ରିଜୋଲ୍ୟୁସନ୍ ଆଧାରରେ ରାଜ୍ୟ ସରକାର ଫି ଧାର୍ୟ୍ୟ କରିପାରିବେ । ଯେକୌଣସି ଫି ବୃଦ୍ଧି କରିବା ପାଇଁ ଅଭିଭାବକଙ୍କ ସହ ଆଲୋଚନା କରାଯିବ ଓ ପାଠ୍ୟକ୍ରମ ମଝିରେ ଫିବୃଦ୍ଧି କରାଯାଇପାରିବ ନାହିଁ ବୋଲି ରିଜୋଲ୍ୟୁସନରେ ଦର୍ଶାଯାଇଥିଲା ।