(ନୂଆଦିଲ୍ଲୀ): କରୋନା ଟିକା ପରୀକ୍ଷା କରାଉଥିବା ‘ସିରମ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ’ ଭାରତରେ କୋଭିସିଲ୍ଡ ଟିକା ପରୀକ୍ଷା ସ୍ଥଗିତ ରଖିଛି। ‘ସିରମ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ’ ପକ୍ଷରୁ ଏକ ବିବୃତିରେ ଉଲ୍ଲେଖ କରାଯାଇଛି ଯେ ‘ଡ୍ରଗ୍ କଣ୍ଟ୍ରୋଲର୍ ଅଫ୍ ଇଣ୍ଡିଆ’ଙ୍କ ପାଖରୁ ନିର୍ଦ୍ଦେଶ ନ ଆସିବା ପର୍ୟ୍ୟନ୍ତ ଦେଶରେ କରୋନା ଟିକା ପରୀକ୍ଷା ବନ୍ଦ ରଖାଯିବ । ନିରାପତ୍ତା ଦୃଷ୍ଟିରୁ ଦେଶରେ କରାଯାଉଥିବା ଟିକାର ଦ୍ବିତୀୟ ଓ ତୃତୀୟ ପର୍ୟ୍ୟାୟ ପରୀକ୍ଷାରେ ସୃଷ୍ଟି ହୋଇଥିବା ପ୍ରତିକୂଳ ପ୍ରତିକ୍ରିୟାର ବିଶ୍ଳେଷଣ ରିପୋର୍ଟ ଦାଖଲ କରାଯାଇନାହିଁ ।
ମଙ୍ଗଳବାର ଦିନ ଆଷ୍ଟ୍ରାଜେନିକା ପକ୍ଷରୁ କୁହାଯାଇଥିଲା ଯେ, ଟିକା ପରୀକ୍ଷା କୁ ସ୍ଥଗିତ ରଖି ଟିକାର ନିରାପତ୍ତା ତଥ୍ୟାବଳୀ ଉପରେ ସମୀକ୍ଷା କରିବା ନିମନ୍ତେ ଗୋଟିଏ କମିଟିକୁ ଦାୟିତ୍ୱ ହସ୍ତାନ୍ତର କରିଛୁ । ବୁଧବାର ଦିନ ‘ସିରମ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ’ର ସିଇଓ ଅଦର ପୂନାୱାଲା କହିଥିଲେ ଯେ, ଭାରତରେ କରାଯାଇଥିବା ପରୀକ୍ଷାରେ କୌଣସି ଅପ୍ରୀତିକର ରିପୋର୍ଟ ହସ୍ତଗତ ହୋଇନାହିଁ । ତେବେ କରୋନା ଟିକାର ଦ୍ବିତୀୟ ଓ ତୃତୀୟ ପର୍ୟ୍ୟାୟ ହ୍ୟୁମାନ ଟ୍ରାଏଲ୍ କରାଇବାକୁ ‘ଡ୍ରଗ୍ କଣ୍ଟ୍ରୋଲର୍ ଅଫ୍ ଇଣ୍ଡିଆ’ ତରଫରୁ ‘ସିରମ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ’ କୁ ଅନୁମତି ପ୍ରଦାନ କରିଥିଲେ।