ବଲାଙ୍ଗୀର: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିବାରୁ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛି। ଶନିବାର ସନ୍ଧ୍ୟାରେ ବଲାଙ୍ଗିର ଜିଲ୍ଲା ଦେଓଗାଁ ଥାନା ଅଧୀନରେ ଏପରି ଅଭାବନୀୟ ଘଟଣା ଘଟିଛି । ଦେଓଗାଁ ଥାନା ଅଧୀନ ଜରାସିଙ୍ଗା ଗାଁର ବାହାରପଡ଼ାର ଧନମତ ନାଏକଙ୍କ ଟାଙ୍ଗିଆ ଚୋଟରେ ଶ୍ରୀପତି ବିଶ୍ରାଙ୍କ ମୃତ୍ୟୁ ହୋଇଥିବା ବେଳେ ଧନମତର ମୃତଦେହ ମଧ୍ୟ ମିଳିଛି ।
ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଦେଓଗାଁ ଥାନା ଅଧୀନ ଜରାସିଙ୍ଗା ଗାଁର ଦୁଇ ଗୋଷ୍ଠୀ ମଧ୍ୟରେ ତିକ୍ତତା ଲାଗି ରହିଥିଲା । ଶନିବାର ସଂଧ୍ୟାରେ ଗୋଟିଏ ଗୋଷ୍ଠୀର ଧନମତ ନାୟକ ଏକ ଟାଙ୍ଗିଆରେ ହରିଜନପଡ଼ାର ୪ ଜଣଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିଲା। ସେମାନଙ୍କ ଚିକ୍ରାର ଶୁଣି ଲୋକ ରୁଣ୍ଡ ହୋଇଯିବାରୁ ଆକ୍ରମଣକାରୀ ସେଠାରୁ ପଳାଇଯାଇଥିଲା । ଲୋକେ ଗୁରୁତର ଅବସ୍ଥାରେ ୪ ଜଣଙ୍କୁ ବଲାଙ୍ଗିର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନେଉଥିବା ବେଳେ ଶ୍ରୀପତି ବେଶ୍ରାଙ୍କ ବାଟରେ ମୃତ୍ୟୁ ଘଟିଥିଲା । ଅନ୍ୟ ୩ ଜଣଙ୍କୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଅନ୍ୟପଟେ ହରିଜନପଡ଼ାର ଲୋକମାନେ ବାହାରପଡ଼ାର ଧନମତଙ୍କ ଘରେ ପଶି ତାଙ୍କୁ ଅତି ବୀଭତ୍ସ ଭାବେ ହତ୍ୟା କରିଛନ୍ତି। ତେବେ ତାଙ୍କ ପରିବାର ଲୋକଙ୍କ ପତ୍ତା ମିଳୁନି। ପୁଲିସ ଧନମତଙ୍କ ମୃତଦେହ ତାଙ୍କ ଘରୁ ଜବତ କରିଛି।