ରାଜନୀତି

ଚୁଗୁଲିଆଙ୍କଠୁ ସମଦୂରତ୍ୱ ରଖିବାର ବେଳ ଆସିଛି

ଭୁବନେଶ୍ୱର/ଶିଳାସ୍ମିତା ରାୟ: କିଛି ମାସର ବ୍ୟବଧାନ ପରେ ପୁଣି ଚର୍ଚ୍ଚାରେ ଯାଜପୁର ବିଧାୟକ ତଥା ବିଜେଡିର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ବା ବବି ଦାସ । ସବୁ କ୍ଷେତ୍ରରେ ବବି ନମ୍ବର ୱାନରେ ରହିବାକୁ ନେଇ ଚର୍ଚ୍ଚା । ଖାଲି ରାଜନୀତିରେ ନୁହେଁ, ଲୋକ ପ୍ରିୟତାରେ, ଦାୟିତ୍ୱ ସମ୍ପାଦନରେ, ସାଂଗଠନିକ ଦକ୍ଷତା ଆଦି ସବୁ କ୍ଷେତ୍ରରେ ବବି ନମ୍ବର ୱାନରେ ରହି ଆସୁଛନ୍ତି । ବବିଙ୍କ ଏହି ନମ୍ବର ୱାନରେ ଦୀର୍ଘ ସମୟ ଧରି ଟିକି ରହିବାକୁ ନେଇ ଅନେକ ତାଙ୍କ ନିକଟତ ହେଉଥିବା ବେଳେ ଅନେକ ବବିଙ୍କ ଅଜାଣତରେ ତାଙ୍କ ପ୍ରତି ଇର୍ଷାନ୍ୱିତ ହୋଇ ଶତ୍ରୁ ପାଲଟି ଯାଉଛନ୍ତି ।

 ଏବେ ବବିଙ୍କ ଚାରି ଆଡେ ଖାଲି ଜନଗହଳି । ଘରଠାରୁ, ପାର୍ଟି ଅଫିସ, ପାର୍ଟି ଅଫିସରୁ ଫିଲ୍ଡ ସବୁଠି ଲୋକଙ୍କ ମେଳି ଭିତରେ ବବିଙ୍କୁ ଦେଖିବାକୁ ମିଳୁଛି । ବବିଙ୍କ ଏହି ବାଦଶାହୀ ଅନ୍ଦାଜକୁ ନେଇ ଭୁବନେଶ୍ୱର ସାମ୍ବାଦିକ ମହଲରେ ଚାଲିଛି ଚର୍ଚ୍ଚା । ବବିଙ୍କ ନିକଟତର ହେବାକୁ ସାମ୍ବାଦିକଙ୍କ ମଧ୍ୟରେ ମଧ୍ୟ ଦେଖିବାକୁ ମିଳୁଛି ପ୍ରତିଯୋଗିତା । ଥରେ ବବିଙ୍କ ନିକଟତର ହେବା, ତାଙ୍କ ବିଶ୍ୱାସଭାଜନ ହେବାରେ ଲାଗିପଡିଛନ୍ତି ସମସ୍ତେ । ତେଣୁ ବବିଙ୍କୁ ପଟେଇବାକୁ ବିଭିନ୍ନ ସାମ୍ବାଦିକ, ମୁଖ୍ୟତଃ ବୈଦ୍ୟୁତିକ ଗଣମାଧ୍ୟମର ସାମ୍ବାଦିକ ତାଙ୍କୁ ତେଲ ମାରିବାକୁ ତାଙ୍କ ସପକ୍ଷରେ ଖବର ପ୍ରସାରଣ କରୁବା ଦେଖିବାକୁ ମିଳୁଛି । ବବି ରାଜନୀତିକୁ ଆସିଥିବା ସମୟର କିଛି ସାମ୍ବାଦିକଙ୍କ ଅନୁଯାୟୀ, ସେ ସମୟରେ ଜଣେଅଧେ ବବିଙ୍କ ନିକଟତର ହୋଇଥିଲେ । କିନ୍ତୁ ଏବେ ସମୟ ସହ ବବିଙ୍କ ସାମ୍ବାଦିକ ଫ୍ୟାନଙ୍କ ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଇଛି । ଏପରି ସମୟ ଆସିଛି କି ଯେଉଁ ମାନେ ବବିଙ୍କ ସହ ପୂର୍ବରୁ ରହିଆସୁଥିଲେ ଏବେ ସେମାନଙ୍କ ପାଇଁ ମଧ୍ୟ ବବିଙ୍କ ଦେଖା ପାଇବା ଅସମ୍ଭବ ହୋଇ ପଡିଛି ।

ଶୁଣିବାକୁ ମିଳୁଛି, ବବିଙ୍କୁ ସବୁ ସମୟରେ ସାମ୍ବାଦିକମାନେ ଘେରି ରହୁଛନ୍ତି । ଏହି ସାମ୍ବାଦିକମାନଙ୍କ ଗହଳି କୁଆଡେ ବବିଙ୍କ ରାଜନୈତିକ ଜୀବନ ପାଇଁ ବିପଦ ହୋଇ ଠିଆ ହେବା ଆଶଙ୍କା ସୃଷ୍ଟି କରିଛି । ଏମାନଙ୍କ ମଧ୍ୟରୁ କିଛି ବବିଙ୍କ ବିଶ୍ୱାସଭାଜନ ହେବାକୁ ଅନ୍ୟମାନଙ୍କ ସମ୍ପର୍କରେ ନାନା କୁତ୍ସା ରଟନା କରୁଛନ୍ତି । ବିଭିନ୍ନ ଭୁଲ ତଥ୍ୟ ଦେଇ ତାଙ୍କୁ ଭ୍ରମିତ କରୁଛନ୍ତି । ଏପରି ହେବା ଫଳରେ ପରୋକ୍ଷରେ ବବିଙ୍କ ପାଇଁ ସମସ୍ୟା ସୃଷ୍ଟି ହେଉଥିବା କୁହାଯାଉଛି । ଏହି କାନକୁହାଳିଆଙ୍କ ପରୋଚନାରେ ବବିଙ୍କ ପୂର୍ବର ସମ୍ପର୍କରେ ସୃଷ୍ଟି ହେଉଛି ଫାଟ । ଏମାନଙ୍କ ମିଛ ଓ ଚୁଗୁଲି ପାଇଁ ଅନେକ ସମୟରେ ବବିଙ୍କର ଏକାନ୍ତ ବିଶ୍ୱସ୍ତ ବନ୍ଧୁଜନଙ୍କ ମଧ୍ୟରେ କୁଆଡେ ଦୂରତା ଦେଖିବାକୁ ମିଳୁଛି । ଏହାକୁ ନେଇ ପୁରୁଖା ସାମ୍ବାଦିକମାନେ କୁହନ୍ତି, ଏପରି କରି ଚୁଗୁଲିଆ ସାମ୍ବାଦିକ ଖାଲି ଯେ ବବିଙ୍କ ନିକଟତର ବା ବିଶ୍ୱାସଭାଜନ ହେଉ ନାହାନ୍ତି ବରଂ ପରୋକ୍ଷରେ ବବିଙ୍କ ପାଇଁ ସୃଷ୍ଟି କରୁଛନ୍ତି ବିପଦ । ଏପରି କାର୍ଯ୍ୟରେ ବବିଙ୍କଠାରୁ ବହୁ ପୁରୁଣା ସାମ୍ବିଦକ ବନ୍ଧୁ ଦୂରତା ରକ୍ଷା କରିବା ସହ ବବିଙ୍କ ବିରୋଧରେ ଅନେକ ସମୟରେ ବିଶୋଦ୍ଗାର କରୁଥିବା ଦେଖିବାକୁ ମିଳୁଛି । ବବିଙ୍କ ବିରୋଧରେ ଖବର ଛାପୁଛନ୍ତି, ଯାହା ବବିଙ୍କ ଲୋକପ୍ରିୟତାରେ ଆଞ୍ଚ ଆଣିବ ବୋଲି ଆଶଙ୍କା କରାଯାଉଛି ।

ତେଣୁ ସମୟ ଥାଉ ବବି ଏପରି ଚୁଗୁଲିଆଙ୍କ ପ୍ରତି ସାବଧାନ ହେବାର ଆବଶ୍ୟକତା ରହିଥିବା ବରିଷ୍ଠମାନେ ମତ ବ୍ୟକ୍ତ କରୁଛନ୍ତି । ଏହି ଚୁଗୁଲିଆଙ୍କ ମଧ୍ୟରୁ କିଛି ମିଛ କହି ବବିଙ୍କୁ ଭ୍ରମିତ କରୁଥିବା ବେଳେ କିଛି ବବିଙ୍କ ନିକଟତର ହେବାର ଫାଇଦା ଉଠାଇ ବିଭିନ୍ନ ବ୍ୟକ୍ତି ବିଶେଷ ଓ ସଂଗଠନ ନିକଟରୁ ବଟି ଆଦାୟ କରୁଥିବା ଦେଖିବାକୁ ମିଳୁଛି । ସେମାନେ ବବିଙ୍କ ଖାସ ଲୋକ ବୋଲି ବାହାରେ କହି ମାସିକିଆ ବଟି ଆଦାୟର ଏକ ବାଟ ଖୋଲିଦେଉଛନ୍ତି, ଯାହା ପରେ ବବିଙ୍କ ସ୍ୱଚ୍ଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିବ ବୋଲି କୁହାଯାଉଛି । ସେହିପରି କିଛି ଚୁଗୁଲିଆ ବବିଙ୍କ ସାନିଧ୍ୟକୁ ମୋବାଇଲରେ ଉତ୍ତୋଳନ କରି ଅନ୍ୟମାନଙ୍କ ସମ୍ମୁଖରେ ନିଜ ପତିଆରା ଜାହିର କରୁଛନ୍ତି, ଅନ୍ୟ ବରିଷ୍ଠଙ୍କୁ ହେୟଜ୍ଞାନ କରିବା ସହ ସେମାନଙ୍କୁ ଅସମ୍ମାନିତ କରୁଛନ୍ତି । ବରିଷ୍ଠଙ୍କ ବିଷୟରେ ଏଣୁତେଣୁ ଅପପ୍ରଚାର କରୁଛନ୍ତି, ଯାହା ସେମାନଙ୍କୁ ବ୍ୟଥିତ କରୁଛନ୍ତି ।

ଏକାଧିକ ଲୋକଙ୍କ ବ୍ୟଥା, ଅସନ୍ତୋଷ ଯେ ଦିନେ ବବିଙ୍କ ପାଇଁ ଘାତକ ନ ହେବ ତାହାକୁ ଏଡାଇ ଦିଆଯାଇ ନ ପାରେ । ତେଣୁ ବବି ଏପରି ସାମ୍ବାଦିକଙ୍କୁ ଚିହ୍ନିବା ସହ ସେମାନଙ୍କ ସହ ଯଥାସମ୍ଭବ ସମଦୂରତ୍ୱ ଅବଲମ୍ବନ କରିବାକୁ ବରିଷ୍ଠମାନେ ମତ ପ୍ରକାଶ କରୁଛନ୍ତି । ନୋହିଲେ ସମସ୍ତ ସକାରାତ୍ମକ କ୍ଷେତ୍ରରେ ନମ୍ବର ୱାନରେ ଥିବା ବବି ଯେ ଏପରି ସାମ୍ବାଦିକଙ୍କ ପାଇଁ ପରୋକ୍ଷ ଦୁର୍ନୀତି, ଭ୍ରଷ୍ଟାଚାରରେ ନମ୍ବର ୱାନ ଯେ ନ ହୋଇ ଯିବେ ତାହାକୁ ଅସ୍ୱୀକାର କରାଯାଇ ନ ପାରେ ।

 

Related posts

ଶିବରାଜ ଚୌହାନ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ

mahabharatanews

ରାମ ମନ୍ଦିର ଶିଳାନ୍ୟାସ ପ୍ରସ୍ତୁତିର ସମୀକ୍ଷା କଲେ ଯୋଗୀ

mahabharatanews

ଗୃହ, ସାଧାରଣ ପ୍ରଶାସନ, ଭିଜିଲାନ୍ସ ନୀତିଶଙ୍କ ପାଖରେ

mahabharatanews

Leave a Comment